Unknown

 

 

 

 

 

 

 

 

 

ପ୍ରାଣସଖୀ ଚଉତିଶା

ଭକ୍ତକବି ଦୀନକୃଷ୍ଣ ଦାସ

 

(ଯୁଗଯୁଗ ଧରି ଭଗବାନ ଭକ୍ତର ଅଧୀନ । ମୁନି, ୠଷିମାନେ କଳ୍ପକଳ୍ପ ତପସ୍ୟା କରୁଛନ୍ତି ତାଙ୍କୁ ପାଇବା ପାଇଁ; କିନ୍ତୁ ପାଇ ପାରନ୍ତିନି । ଭକ୍ତ ପାଖରେ କିନ୍ତୁ ସ୍ୱୟଂ ଭଗବାନ ଆସି ପହଞ୍ଚନ୍ତି । ମୁନି ୠଷିମାନେ ଦ୍ୱାପର ଯୁଗରେ ଗୋପୀଭାବରେ ଗୋପପୁରରେ ଜନ୍ମ ନେଇଥିଲେ । ଗୋପୀମାନଙ୍କ ସହିତ ଶ୍ରୀକୃଷ୍ଣଙ୍କ ଅଲୌକିକ ପ୍ରେମଭାବ । କୃଷ୍ଣଙ୍କୁ ଛାଡ଼ି ଗୋପାଙ୍ଗନାମାନେ ବଞ୍ଚିପାରିବେ ନାହିଁ କିମ୍ବା ଗୋପନାରୀ ମାନଙ୍କୁ କୃଷ୍ଣ ପାସୋରି ପାରିବେ ନାହିଁ । କୃଷ୍ଣଙ୍କର ପ୍ରିୟସଖୀ ଗୋପନାରୀଗଣ । ବିରହାତୁର କୃଷ୍ଣ ନିଜର ଭାବକୁ ସଖୀ ନିକଟରେ ପ୍ରକାଶ କରିଛନ୍ତି । ଶ୍ରୀକୃଷ୍ଣ ଓ ଗୋପୀମାନଙ୍କ ପବିତ୍ର ପ୍ରେମ ସଂପର୍କ ଏ ଚଉତିଶାର ଭାବାର୍ଥ ।)

 

(ରାଗ- ଶୋକ କାମୋଦୀ)

କାଳିନ୍ଦୀ କୂଳେ ଗୋପୀଙ୍କି ଦେଖି । କୃଷ୍ଣ ବୋଲନ୍ତିରେ ପ୍ରିୟସଖୀ

କେ ବୋଲି ତୋତେ ପ୍ରଫୁଲ୍ଲ କମଳ କନକ ଦର୍ପଣ ଚନ୍ଦ୍ରମୁଖୀରେ

ପ୍ରାଣସଖୀ ! କି ତାହାର ଆଜନ୍ମରୁ ନାହିଁ ଆଖି ରେ

କି ତୋ ଭ୍ରୂଭଙ୍ଗି ଚାହାଣି ନାହିଁ ଦେଖି ରେ

କର୍ଣ୍ଣେ ଏହାଶୁଣି ହେଉଥାଇ ଦୁଃଖୀ ରେ ।୧।

ଖଳ ଲୋକଙ୍କର ଖଳ ବୋଲି । କ୍ଷଣେ ହେଁ ସଂସାରେ ନୋହେ ଭଲ

ଖଞ୍ଜନ୍ତି ପୁଷ୍ପ ତୋହର ପ୍ରାୟେ କାଚ କଞ୍ଚନ ସଙ୍ଗତେ କରି ତୁଲ ରେ

ଜୀବଧନ ! ଖୋଜି କହିବି କେତେ ମୁଁ ସେ ବଚନ ରେ

ଖେଦ ଘେନୁଥାଇ ଏହି ଘେନି ମନ ରେ

କ୍ଷୀଣୋଦରୀ ତୋ ମୁଖକୁ କେ ସମାନ ରେ ।୨।

ଗରୁ ଯଉବନୀ ଏବେ ଶୁଣ । ଗୁଣିଲେ ତାହାଙ୍କ ଅବିଗୁଣ

ଗଗନେ ନକ୍ଷତ୍ର ପ୍ରାୟେ ନ ସରିବ ଅଧିକ କହିବି କି କାରଣ ରେ

ଗୁଣନିଧି । ଗୁଣି କହିବ ତାହାଙ୍କ ଗତିବିଧି ରେ

ଗଲା ଜଳକୁ ଯେ ପଦ୍ମ ତପ ସାଧି ରେ

ଗାଢ଼େ ଶିଶିର ତାହାକୁ ହେଲା ବାଦୀ ରେ ।୩।

ଘର୍ମକର କର ତାପ ସହି । ଘୋର ତପସ୍ୟା ବଳରୁ ବିହି

ଘଟଣ ଆନନୀ ଶ୍ରୀଅଙ୍ଗ ସୁବାସ ଦେଲା ଇଛି ଏବେ ଅଛି ବିହିରେ

ଘନସ୍ତନୀ । ଘସ୍ରେ ବିକାଶ ହୁଅଇ ଏହି ଘେନିରେ

ଘୁଞ୍ଚିଯାଇ କାହିଁ ଶୋଭା ନିଶୀଥିନୀ ରେ

ଘଡ଼ିଏ ତ ନ ରହେ ତା ଘେନା ଘେନି ରେ ।୪।

ନିକଷରେ ଆଗ କଷି ହୋଇ । ନିଆଁରେ ପଡ଼ି ସୁବର୍ଣ୍ଣ ଯାଇ

ନର ହାତେ ପଡ଼ି ଦର୍ଶନ ହୋଇ ତ ମନକୁ ତର୍ପଣ କଲାନାହିଁ ରେ

ନିତମ୍ବିନୀ । ନିଶ୍ଚେ ନାଶ ଯାଇ ହେଳେ ଅଭିମାନୀ ରେ

ନିସ୍ତରିଲି ତୋହ ମୁଖଛାୟା ଘେନି ରେ

ନୋହୁ କେଉଁ କାଳରେ ତୁ ସୁଖହାନି ରେ ।୫।

 

ଭାବାର୍ଥ- (୧-୫) ଯମୁନା କୂଳରେ ଦିନେ କୃଷ୍ଣ ଗୋପୀମାନଙ୍କୁ ଦେଖି କହିଲେ- ରେ ପ୍ରିୟ ସଖୀ, ରେ କନକଦର୍ପଣ ଚନ୍ଦ୍ରମୁଖି, ତା’ର ଜନ୍ମରୁ କ’ଣ ଆଖି ଅଛି ନା ନାହିଁ ? ତୋ ଭ୍ରୂଭଙ୍ଗୀ ଚାହାଁଣି କ’ଣ ଦେଖିନାହିଁ ? ଏ କଥା ଶୁଣି ମୁଁ ଦୁଃଖୀ ହେଉଛି । ରେ ଜୀବଧନ, ସଂସାରରେ ଖଳ ଲୋକମାନେ ରହିଛନ୍ତି । କାଚ ସହିତ କାଞ୍ଚନର ତୁଲ କରି ତୋ ପରି ଫୁଲ ଖଞ୍ଜିଥା’ନ୍ତି । ମୁଁ ସେ କଥା କେତେ ଖୋଜି କହିବି ? ଏହି କଥା ଭାବି ସର୍ବଦା ମୋ ମନରେ ଖେଦ ଜାତ ହୁଏ । ରେ କ୍ଷୀଣୋଦରି, ତୋ ମୁଖର ଶୋଭା ସହିତ କିଏ ସମାନ ହେବ ? ରେ ଗୁରୁ ଯଉବନି, ତୁ ଏବେ ଶୁଣ, ତାଙ୍କର ଅବିଗୁଣକୁ ଏବେ ମନେ ପକାଇଲେ ତାହା ଆକାଶରେ ଥିବା ତାରାକୁ ଗଣିଲେ ଯେମିତି ସରେ ନାହିଁ, ସେମିତି ସରିବ ନାହିଁ । ରେ ଗୁଣନିଧୀ, ତାଙ୍କର ଗତିବିଧି କିଏ ଗୁଣି କହିପାରିବ ? ଗାଢ଼ ଶିଶିର ଏବେ ତା’ର ଶତ୍ରୁ ହୋଇଛି । ରେ ଘନସ୍ତନି, ସୂର୍ଯ୍ୟଙ୍କର ତାପ ସହି ଘୋର ତପସ୍ୟା ବଳରୁ ବିଧାତା ଶ୍ରୀଅଙ୍ଗରେ ସୁବାସ ବୋଳି ଦେଇଛି । ନିଆଁରେ ପଡ଼ି ସୁବର୍ଣ୍ଣ ଅଧିକ ଝଟକିଲା ପରି ତେଜ ଝଟକୁଛି । ରେ ନିତମ୍ବିନୀ, ଅଭିମାନୀ ହେଲେ ନିଶ୍ଚୟେ ନାଶ ଯିବି । ତୋର ମୁଖ ଛାୟାକୁ ଦେଖି ଉଦ୍ଧାର ପାଇଲି । ତୁ କେବେ ହେଲେ ମୋ ସୁଖନାଶିନୀ ହୁଅ ନା ।

 

ଚତୁରୀମଣିତୁ ଶୁଣ ଏବେ । ଚକ୍ରଧର ବେଶ ଧରି ପୂର୍ବେ

ଚ୍ୟୁତ ହେଲା ପୁଣ୍ଡରିକ ବାସୁଦେବ ପରାୟେ ହୋଇଲା ଚନ୍ଦ୍ର ଏବେ ରେ

ଚଞ୍ଚଳାକ୍ଷି । ଗୁରୁ ବଦନକୁ ହେବ ବୋଲି ଲକ୍ଷି ରେ

ଚକ୍ଷୁ ଆଶେ ହରିଣକୁ ବହିଅଛି ରେ ।୬।

ଛଟକ ଚାହାଣି ଭାବ ତୋର । ଛଇଳ ମୋହନ ସୁଖ ଘର

ଛାର କରଇ ଯେ ବଦନ ଶରକୁ ଆଉ କଥା ଏବେ କେତେ ଦୂରରେ

କ୍ଷୀଣୋଦରୀ । ଛଳି କହିଲେ ତୋ ନେତ୍ର ହୁଏ ଶିରୀ ରେ

ଛାଡ଼ିଯିବ ସିନା ଚନ୍ଦ୍ର କଥା ଡରି ରେ

କ୍ଷୀରେ ଘୃତ ପରାୟେ ଯେ ଅଛି ପୂରି ରେ ।୭।

ଯତନେ ତୋ ମୁଖ ତୁଳା ଆଣି । ଜଗିଛି ଗଗନେ ନିଶାମଣି

ଜଗତରେ କେହି ନ ମାନିବା ଯୋଗୁଁ ଜୀବନେ ଜୀବନ ଦେଲା ପୁଣି ରେ

ଜେମାମଣି । ଜଳନିଧି ସୁତ ପଣେ ବହେ ଆଣି ରେ

ଯାଇ ମହାଦେବ ଶିରେ ହୋଏ ମଣି ରେ

ଯୋଗ୍ୟ ନୋହିଲା ନେବାକୁ ମୁଖ ଠାଣି ରେ ।୮।

ଝସକେତୁ ସଖାଭାବେ ଥାଇ । ଝିମିଣ୍ଟେ ଓପ୍ରୋଧ କରେ ନାହିଁ

ଝଡ଼େ ଅନଳ ଚନ୍ଦନ ବିହିଲାର ପ୍ରାୟେ ପଦ୍ମିନୀ କି ନ ତେଜଇ ରେ

ଝଳିଗୋରୀ । ଝୁରୁଥାଇ ତୋ ମୁଖକୁ ନୋହେ ସରି ରେ

ଝସାଇଟି ପ୍ରତିଦିନେ ସିନ୍ଧୁବାରି ରେ

ଝଗଡ଼ୁଛି ତାହା ମନେ ଅନୁସରିରେ ।୯।

ନିରନ୍ତରେ ଏକା ଭ୍ରମୁଥାଇ । ନ ରହଇ କାହିଁ ଥିର ହୋଇ

ନିଶ୍ଚେ ଜାଣିଲି ଯେ ଜନମୁ କୁଟିଳ ନିନ୍ଦାକୁ ତାହାର ଭୟ ନାହିଁ ରେ

ନେତ୍ରଭଙ୍ଗି । ନତବ୍ରତ ଦିନୁ ତୋର ମୋର ସଙ୍ଗୀ ରେ

ନାନା ଭାବେ ତୁ ମୋତେ କରିଛୁ ରଙ୍ଗି ରେ

ଲୁଚିଯାଇ କିନା ତୋର ଭୂରୁ ଭଙ୍ଗୀ ରେ ।୧୦।

ଭାବାର୍ଥ- (୬-୧୦) ରେ ଚତୁରୀମଣି, ମୋ କଥା ଏବେ ଶୁଣେ । ପୂର୍ବେ ଚକ୍ରଧର ବେଶ ଧରି ପୁଣ୍ଡରିକ ବାସୁଦେବ ଚ୍ୟୁତ ହେଲାପ୍ରାୟ ଏବେ ଚନ୍ଦ୍ର ହୋଇଛି । ରେ ଚଞ୍ଚଳାକ୍ଷି; ସୁନ୍ଦର ମୁଖମଣ୍ଡଳକୁ ପାଇବା ଲକ୍ଷ୍ୟ ରଖି ଓ ମନୋହର ଚକ୍ଷୁ ପାଇବା ଆଶାରେ ସେ ହରିଣକୁ ଆଶ୍ରା କରିଛି । ରେ ସଖୀ, ତୋ ଛଟକ ଚାହାଁଣି ଭାବ ସୁଖର ଘର । ଯିଏ ମଦନ ଶରକୁ ଛାର କରିଥାଏ, ଅନ୍ୟ କଥା ତା’ ପାଇଁ କେତେ ବା ଦୂର ? ରେ କ୍ଷୀଣୋଦରି, ଛଳରେ ତୋତେ କହିଲେ ତୋ ଆଖିରୁ ଲୁହ ଝରି ପଡ଼ୁଛି । ତୋ ମନ ଭିତରେ ତା’ କ୍ଷୀରରେ ଘିଅ ରହିଥିବା ପରି । ତୋ ମୁଖ ସହିତ ତୁଳନୀୟ ହେବାକୁ ଯତ୍ନର ସହିତ ଯେମିତି ଆକାଶରେ ଚନ୍ଦ୍ର ଜଗି ରହିଛି । ସମୁଦ୍ର ପୁତ୍ର ପଣରେ ମହାଦେବଙ୍କ ମସ୍ତକରେ ଯେ ମଣି ସାଜିଛି; କିନ୍ତୁ ତୋ ମୁଖ ମୁଖଠାଣି ପାଇଁ ଯୋଗ୍ୟ ହେଲା ନାହିଁ । କାମଦେବର ସଖା ଭାବେ ଥାଇ କେତେବେଳେ ଉପ୍ରୋଧ କରି ନ ଥାଏ । ରେ ଗୋରୀ, ତୋ ମୁଖମଣ୍ଡଳକୁ ମୁଁ ସର୍ବଦା ଝୁରୁଛି । ମନେ ମନେ ତାକୁ ଅନୁସରଣ କରୁଛି । ସର୍ବଦା ରାଧା ଏକା ଭ୍ରମଣ କରୁଛି । କେଉଁଠି ସ୍ଥିର ହୋଇ ରହୁନାହିଁ । ମୁଁ ନିଶ୍ଚିତ ଭାବେ ଜାଣିଲି ଯେ ସେ ଜନ୍ମରୁ କୁଟିଳ, ନିନ୍ଦାକୁ ତା’ର ଭୟ ନାହିଁ । ରେ ନେତ୍ରଭଙ୍ଗୀ, ପିଲାଟି ଦିନରୁ ଆମର ସଙ୍ଗୀ, ନାନା ଭାବରେ ଭ୍ରୂଭଙ୍ଗୀରେ ମୋ ସହିତ ରଙ୍ଗରସ କରିଛୁ ।

ଟେକି ଚାହିଁଲେ ଏ ତୋ ଭ୍ରୂଲତା । ଟଳିଯିବେ ମହା ଉର୍ଦ୍ଧ୍ୱରେତା

ଟେକି କହୁଛି ଦମ୍ଭକୁ ଅବଲମ୍ବନ କରିବ ଏବେ କବି ବକତା ରେ

ଟେକସ୍ତନା ଟାଣି କବିମାନେ ହୋଇ ଦୃଷ୍ଟିବଣା ରେ

ଟେକିଅଛି କାମଧନୁ କରି ସିନାରେ

ଟାହି ପ୍ରାୟ ତାଙ୍କ ବୋଲ ନୋହଇ ନା ରେ ।୧୧।

ଠାବ କଲି ଏତେକାଳେ ଆସି । ଠିକେ ଯେ ଜଳରେ ଯାଇ ଭାସି

ଠୁଳ ଭୟ ସବୁ ଅବଲମ୍ବ କଲା ପ୍ରାୟେ ହେଲେ ସବୁ କବି ଭାସି ରେ

ଠାକୁରାଣୀ । ଠାବ କରି ତୋ ଅଙ୍ଗକୁ ଗୁଣି ପୁଣି ରେ

ଠେସି ପକାଇଲି ଯେତେ ତାଙ୍କ ବାଣୀ ରେ

ଠିଆ ହେବାକୁ ତାଙ୍କର ନାହିଁ ଆଣି ରେ ।୧୨।

ଡକାଇତ ପ୍ରାୟେ କବି ରୀତି । ଡୋଳେ ଦଖୁ ଦେଖୁ ନ ଚିହ୍ନନ୍ତି

ଡାକୁଥାନ୍ତି ମୋର ଡୋଳ ପ୍ରତିମାକୁ ଖଞ୍ଜନ ଚକୋର ମୀନନେତ୍ରୀ ରେ

ଡୋଳେଶ୍ୱରୀ । ଡେରି ହୋଏ ରୋମ ଏହା ଶୁଣିକରି ରେ

ଡହେ ଅଙ୍ଗକୁ ସେ ବୋଲ ଯେଡ଼େ କରି ରେ

ଡଙ୍ଗ ଲାଗିଲେ ନୋହିବ ଏତେ ସରି ରେ ।୧୩।

ଢମକରି କହୁନାହିଁ ସଖୀ । ଢଳି ଅନାଇଲେ ଯେଉଁ ଆଖି

ଢୋକିଲା ଅମୃତ ଆସ୍ୱାଦିଲା ପ୍ରାୟେ ମନକୁ କରଇ ମହାସୁଖୀ ରେ

ଢମନେତ୍ରୀ । ଢାଳେ ତୋହ ଘେନି ସିନା କାମ ଯତି ରେ

ଢମପଣେ ଧରିଥାଇ କାମଛତି ରେ

ଢାଳିବାକୁ ଦମ୍ଭକୁ ସେ ମହାମନ୍ତ ରେ ।୧୪।

ଏକଥା ନୁହଇ ଅପ୍ରମାଣ । ଆନନ୍ଦଦାୟିନୀ ଏବେ ଶୁଣ

ଅବସର ତୋହୋ ନୋହିଥିଲା କୁଟ ମହାଦେବଠାରେ ଗଲା ପ୍ରାଣ

ଅଳକିନୀ । ଏବେ ତୁ ତାହାର ମୃତ୍ୟୁସଞ୍ଜୀବନୀ ରେ

ଏହି ନୟନଦ୍ୱାରେଟି ତାହା ଚିହ୍ନି ରେ

ଆଉ ଅଛି ନିକି ତୋହ ପରା ଦାନୀ ରେ ।୧୫।

ତୋ ନେତ୍ରତରଙ୍ଗ ଭାବହାବ । ତୁଚ୍ଛ ଜୀବଛାର କାହୁଁ ଦେବ

ତରଛେ ଚାହିଁବା କି କହିବା ତହିଁ ବ୍ରହ୍ମାପ୍ରାୟେ କାମ ପରାଭବ ରେ

ତ୍ରିବଳିନୀ । ତୋହ ନୟନରେ ଯେଉଁ ଘେନାଘେନି ରେ

ତାହା କହିବ କେଉଁ ଯୋଗ୍ୟତା ଘେନି ରେ

ତେଡ଼େ ଭାଗ୍ୟ ମୋର କାହିଁଅଛି ଧନୀ ରେ ।୧୬।

ଥିରା ମଧ୍ୟେ ଦମ୍ଭହତ ବାନା । ଥିବ ବଡ଼ ନୋହି ହତ ବାନା

ସ୍ତମ୍ଭନ ମୋହନ ବଶ ଉଚ୍ଚାଟନ ଜାତ କରିବାକୁ ଏହି ସିନା ରେ

ସ୍ଥିରଗତି । ଥରେ ଥରେ କରଇ ଏ ଯେଉଁ ଗତି ରେ

ସ୍ଥାଣୁ ଦେଖି କାମ ହେବ ଛତିବତି ରେ

ଥାଉ ଥାଉ ଲୋକର ବା କେତେ ଧୃତି ରେ ।୧୭।

 

ଭାବାର୍ଥ- (୧୧-୧୭) ରେ ସଖୀ, ତୋର ଭ୍ରୂଲତା ଦେଖି ମହାଯୋଗୀମାନେ ମଧ୍ୟ ଟଳିଯିବେ । ରେ ଟେକସ୍ତନା, ତାହା ଦେଖି କବିମାନଙ୍କ ଦୃଷ୍ଟି ବଣା ହୋଇଯିବ । କାମଧେନୁ ପରି ତାହା ରହିଛି । ଜଳରେ ଭାସିଗଲା ବେଳେ ତୋତେ ଠାବ କଲି ! ତୋ ଅଙ୍ଗକୁ ମୁଁ ଗୁଣି ହେଉଛି । କବିମାନଙ୍କ ରୀତି ନୀତି ଡକାୟତ ପ୍ରାୟ । ଦେଖୁ ଦେଖୁ ଚିହ୍ନି ପାରନ୍ତି ନାହିଁ । ତେଣୁ ସେମାନେ ମୋର ଡୋଳ ପ୍ରତିମାକୁ ଖଞ୍ଜନ, ଚକୋରୀ ମୀନନେତ୍ରୀ ବୋଲି ଡାକିଥା’ନ୍ତି । ରେ ସଖୀ ଡୋଳେଶ୍ୱରୀ, ଏହା ଶୁଣି ମୋର ରୋମ ଟାଙ୍କୁରି ଉଠୁଛି । ଡଙ୍କ ଲାଗିଲେ ମଧ୍ୟ ଏତେ ସରି ହେବ ନାହିଁ । ଲୋ ସଖୀ, ମୁଁ ଗର୍ବ କରି କହୁ ନାହିଁ । ସେଇ ଆଖି ଢଳି କରି ଅନାଇଲେ, ଅମୃତ ପାନ ପ୍ରାୟ ମନକୁ ମହାସୁଖୀ କରାଉଛି । ରେ ତଳନେତ୍ରୀ, ତୋ ଯୋଗୁଁ କାମଦେବ ଫୁଲଧନୁ ଯତିଙ୍କ ଉପରେ ଢାଳୁଛି । ମହାମନ୍ତ୍ରରେ ସେ ତା ଦମ୍ଭକୁ ଢାଳିବାକୁ ଗର୍ବରେ କାମଛତ୍ର ଧରିଛି । ଲୋ ଆନନ୍ଦଦାୟୀନୀ, ମୋ କଥାକୁ ଏବେ ଶୁଣେ । ଏ କଥା ଅପ୍ରମାଣ ନୁହଁ, ନିରାଟ ସତ୍ୟ । ମହାଦେବଙ୍କ ଠାରେ କନ୍ଦର୍ପର ପ୍ରାଣ ଗଲା । ଏବେ ତୁ ତାହାର ମୃତ୍ୟୁ ସଞ୍ଜୀବନୀ ସ୍ୱରୂପ । ଏଇ ଆଖି ଦ୍ୱାରା ତାହା ଚିହ୍ନି ରଖେ । ତୋ ପରି ଦାନୀ ଆଉ କିଏ ଅଛି ?

 

ରେ ସହ, ତୋ ନେତ୍ର ତରଙ୍ଗର ହାବଭାବ ଅମୃତ ତୁଲ୍ୟ । ସାମାନ୍ୟ ଜୀବ କୁଆଡ଼ୁ ଦେବ ? ତୋର ଛଟକ ଚାହାଁଣିରେ କାମର ପରାଭବ ପୂରି ରହିଛି । ରେ ତ୍ରିବଳିନ, ତୋ ଚକ୍ଷୁରେ ଯେଉଁ ମାଦକତା ରହିଛି, ତାକୁ କିଏ କହିପାରିବ ? ସେତେ ବଡ଼ ଭାଗ୍ୟ ମୋର କ’ଣ ଅଛି ? ତୋ ପାଖରେ ସ୍ତମ୍ଭନ, ମୋହନ, ବଶ, ଉଚ୍ଚାଟନ ବିଦ୍ୟା ରହିଛି । ତୋର ଧୀର ଗତି ଥରେ ଥରେ ମୋର ବୁଦ୍ଧି ବଣା କରି ଦେଉଛି । ତାହାକୁ ଦେଖି କନ୍ଦର୍ପ ସ୍ଥିର ରହିପାରିବ ନାହିଁ । ଛାର ଲୋକର ବା କେତେ ଧୈର୍ଯ୍ୟ ରହିବ ?

 

ଦେଖିଲେ ଯେ ହୁଏ ସୁଖକର । ଦେଇ ସିନା ତାକୁ ପଟାନ୍ତର

ଦୂରେ ଥାଇକରି ବଚନ କହୁଛି ତୋ ନେତ୍ର ନିଶ୍ଚେ ବୈକୁଣ୍ଠପୁର ରେ

ଦିବ୍ୟଗୋରୀ । ଦଇବ ହେତି ବିଷ୍ଣୁର ମନୋହାରୀ ରେ

ଦୟାନିଧି ଦୟା ଥିଲେ ଦେଖିପାରି ରେ

ଦୁଃଖ ଅଛି ବୋଲି ମନେ ନ ବିଚାରି ରେ ।୧୮।

ଧଳା କଳା ଅଙ୍ଗେ ଶୋଭା ପାଏ । ଧାତା ହରିହର ଅଙ୍ଗ ପ୍ରାୟେ

ଧନ୍ୟ ଧନ୍ୟ ତାର ଜନମର ଭାଗ୍ୟ ଯାହାର ଏ ଦରଶନ ହୁଏରେ

ଧୃତିଧ୍ୱଂସୀ । ଧରଣୀରେ ତୋ ସେ ନେତ୍ର ପରଶଂସି ରେ

ଧୀର ହୋଇ ଏହା ଚାହୁଁ ଅବା ବସି ରେ

ଧର୍ମ ଅର୍ଥକୁ ତୁ ମୋକ୍ଷଫଳ ଦିଶି ରେ ।୧୯।

ନିରତେ ବଢ଼ାଇ ପ୍ରେମ ପ୍ରୀତି । ନ ଛାଡ଼ଇ ଅନୁରାଗ ରୀତି

ନିଶ୍ଚେ ଜାଣିଲିରେ ନୟନ ପ୍ରତିମା ତୋ ନେତ୍ରନାଗରୀ ରସବତୀ ରେ

ନବଯୁବା । ନାନା ଗତିର ଏ ନୃତ୍ୟକାରୀ ଅବା ରେ

ନୀଳକଣ୍ଠ ଠାରେ କରି ପୂର୍ଣ୍ଣ ସେବାରେ

ନିରନ୍ତରେ ଏହି ଶୋଭା ଦେଖୁଥିବା ରେ ।୨୦।

ପଡ଼ିଲେ ଏ ନେତ୍ର ନେତ୍ରଗତେ । ପ୍ରତେ ହୋଇଥାଇ ମନେ ଏତେ

ପାକଶାସନ ସମ୍ପତ୍ତି କି ପ୍ରଶଂସା କରୁଥାନ୍ତି ଲୋକେ କି ନିମିତ୍ତେ ରେ

ପ୍ରାଣମଣି । ପରମାନନ୍ଦ ସୁଖ ଦେଖିବା ଆଣି ରେ

ପ୍ରତିକ୍ଷଣେ ବୁହାଇ ନେତ୍ରରୁ ପାଣି ରେ

ପ୍ରତିଅଙ୍ଗ ପୁଲକଇ ପୁଣି ପୁଣି ରେ ।୨୧।

ଫୁରୁଅଛି ମନେ ଆସି ଯେତେ । ଫେଡ଼ିଣ ଅବା କହିବି କେତେ

ଫାଇରମ୍ୟ ପାଇ ତରଙ୍ଗ ଭାବରୁ କ୍ଷୀରସିନ୍ଧୁ ପ୍ରାୟେ ହୋଏ ପ୍ରତେ ରେ

ସ୍ଫୁଟମୁଖୀ । ଫୁଲ ଅରବିନ୍ଦ ଫୁଲଲିଟ ଦେଖି ରେ

ଫୁରୁଣାରେ ଲେଖି କବି ହୋଏ ସୁଖୀ ରେ

ଫନ୍ଦା ଏ ବାହାରେ ଆଉ ନାହିଁ ସଖୀ ରେ ।୨୨।

ବିବେକ ଛାଡ଼ଇ ଯେଉଁ ଜନ । ବଡ଼ ହେଲେ ତାକୁ ବୋଲି ସାନ

ବିଚାର ବିଚାରି ବୋଲନ୍ତି ତୋ ନେତ୍ର ଖଞ୍ଜନ ଚକୋର ମୃଗ ମୀନ ରେ

ବରାଙ୍ଗନା । ବୁକୁ ହାଣି ହୋଏ ଏହା ଶୁଣି ସିନା ରେ

ବ୍ରହ୍ମା ଯାଏ ଶୁଣି ହୋଏ ଦୃଢ଼ମନା ରେ

ବଚନରେ ତାହା କରି ଏତେ ଅନା ରେ ।୨୩।

 

ଭାବାର୍ଥ- (୧୮-୨୩) ରେ ସଖୀ, ଦେଖିଲେ ସେ ସୁଖକର ମନେ ହେଉଛି । ତା’ ଶୋଭାର ପଟାନ୍ତର ନାହିଁ । ଦୂରରେ ଥାଇ ସେ କଥା କହୁଛି । ତୋ ନେତ୍ର ନିଶ୍ଚୟ ବୈକୁଣ୍ଠପୁର । ରେ ଦିବ୍ୟଗୋରୀ, ଦଇବ ହେତୁ ବିଷ୍ଣୁଙ୍କ ଘରଣୀ । ପ୍ରଭୁଙ୍କ ଦୟା ଥିଲେ ଦେଖିପାରିବି, ଦୁଃଖ ଅଛି ବୋଲି ମନରେ ଭାବିବି ନାହିଁ । ଯାହା ଭାଗ୍ୟରେ ଅଛି, ସିଏ ପ୍ରଭୁଙ୍କ ଦର୍ଶନ ପାଇବ । ରେ ସଖୀ, ତା’ ରୂପକୁ ତୋ ନେତ୍ର ପ୍ରଶଂସା ନ କରି ରହିପାରିବ ନାହିଁ । ପ୍ରଭୁଙ୍କ ଦର୍ଶନରେ ଧର୍ମ, ଅର୍ଥ, କାମ, ମୋକ୍ଷ ଫଳ ପାଇବୁ । ନିରନ୍ତର ପ୍ରେମ ଭାବ ବଢ଼ାଇଛୁ । ସେ ଅନୁରାଗ ରୀତି ଛାଡ଼ିବ ନାହିଁ । ରେ ନୟନ ପ୍ରତିମା, ଏହା ମୁଁ ନିଶ୍ଚିତ ଭାବେ ଜାଣିଲି । ନୀଳକଣ୍ଠଙ୍କ ଠାରେ ପୂର୍ଣ୍ଣ ସେବା କରି ଏହି ଶୋଭା ଦେଖୁଥିବି । ରେ ପ୍ରାଣମଣି, ସେ ଅପୂର୍ବ ଦୃଶ୍ୟ ଚକ୍ଷୁ ସମ୍ମୁଖରେ ପଡ଼ିଲେ ମନ ମଧ୍ୟରେ ବିଶ୍ୱାସ ଆସୁଛି । ଭାବୁଛି ପାକଶାସନ ସମ୍ପତ୍ତିକୁ ବା ଇନ୍ଦ୍ର ସଂପତ୍ତିକୁ ଲୋକେ କାହିଁକି ପ୍ରଶଂସା କରନ୍ତି । ପରମାନନ୍ଦ ପାଇ ସୁଖ ପାଇବା । ପ୍ରତିକ୍ଷଣରେ ଆଖିରୁ ଲୁହ ଝରୁଛି । ବାରମ୍ବାର ପ୍ରତ୍ୟେକ ଅଙ୍ଗରେ ପୁଲକ ଭାବ ଜାଗ୍ରତ ହେଉଛି। ରେ ସଖୀ, ମନ ମଧ୍ୟରେ ଯେତେ ପ୍ରକାର ଭାବନା ଆସୁଛି, ତାକୁ କେତେ ଅବା ଫେଡ଼ି କହିବି ? କ୍ଷୀର ସିନ୍ଧୁ ମଧ୍ୟରେ ତରଙ୍ଗ ସୃଷ୍ଟି ହେଲା ପ୍ରାୟ ମନରେ ଭାବନା ଆସୁଛି । ପଦ୍ମଫୁଲରେ ମଧୁପକୁ ଦେଖି ଆନନ୍ଦରେ କବି ଲେଖନ୍ତି ଓ ସୁଖୀ ହୁଅନ୍ତି । ରେ ସଖୀ, ଏହା ଛଡ଼ା ଅନ୍ୟ କିଛି ଫନ୍ଦା ନାହିଁ । ଯେଉଁ ଲୋକ ବିବେକ ଶୂନ୍ୟ, ସେ ବଡ଼ ହେଲେ ମଧ୍ୟ ଲୋକେ ତାକୁ ସାନ ବୋଲି କହିଥା’ନ୍ତି । କବିମାନେ ବିଚାର କରି ତୋ ନେତ୍ରକୁ ଖଞ୍ଜନ, ଚକୋର, ମୃଗ, ମୀନର ଚକ୍ଷୁ ସହିତ ତୁଳନା କରିଥା’ନ୍ତି । ରେ ରମଣୀମଣି, ଏହି କଥା ଶୁଣି ମୋ ମୋ ବୁକୁ ହାଣି ହୋଇଯାଉଛି । ବ୍ରହ୍ମା ଏହା ଶୁଣି ଦୃଢ଼ମନା ହୁଅନ୍ତି ।

 

ଭାବ ନ ଜାଣିଇ ଯେଉଁ ଲୋକ । ଭଲମନ୍ଦ ତାର ଦୁଇ ଏକ

ଭୋଖିଲା ଭ୍ରମରଠାରୁ ଜଣାଗଲା ଅଧିକେ କହିବା କେଉଁ ଟେକ ରେ

ଭାବନିଧି । ଭାଳୁଥାଇ ଏହା କଥା ନିରବଧି ରେ

ଭ୍ରମ ହେଲା କାହିଁପାଇଁ ଧାତା ବୁଦ୍ଧି ରେ

ଭଲ କଥାରେ ଅଭଲା କଲା ସିଦ୍ଧି ରେ ।୨୪।

ମଦାଳସୀ ଶୀର୍ଷ ନେତ୍ର ଛବି । ମୋହ ବୁଦ୍ଧି କେତେ ମୁଁ କହିବି

ମହାଯଶା ମହୋଦୟା ଧ୍ୱଂସି ଧରାଧର ମୂକ ଯେହ୍ନେ ମହାପବି ରେ

ମନ୍ଦହାସୀ । ମନେ ଏ ମନୁ ସଂପ୍ରତେ ହୋଏ ଆସି ରେ

ମନ୍ଦାକିନୀରେ ଯମୁନା ବହେ ମିଶି ରେ

ମହାସୁଖ ଉପରେ ଏ ସୁରରାଶି ରେ ।୨୫।

ଯେମନ୍ତେ ମୋ ସଙ୍ଗେ ରାମା ଥିଲେ । ଜଗତ ଆନନ୍ଦ ହୋଏ ଭଲେ

ଜଗମୋହିନୀ ମୋ ନେତ୍ରକୁ ତୋ ନେତ୍ର ସେହିରୂପେ ଆଜ ସୁଖ ଦେଲେ ରେ

ଜୀବଧନ । ଯାହା ହେଉଅଛି ଏବେ ମୋହ ମନରେ

ଯେବେ ସର୍ବଦା ହେବ ଏ ଦରଶନ ରେ

ଯଦୁବଂଶେ ସମ୍ଭବିବା ମୋର ମନ ରେ ।୨୬।

ରମଣୀମଣି ତୋ ସ୍ମିତବାଣୀ । ରଙ୍ଗିମା ଅଧର ଦନ୍ତଶ୍ରେଣୀ

ରୁଚି ରୁଚିର ଉଚ୍ଚକୁଚ ପ୍ରଶଂସା କୁହାଇ ନ ଦେଲା ନେତ୍ର ଆଣିରେ

ରସିକିନୀ । ରାଗ ବସନ୍ତ କୃଷ୍ଣର ଗୁଣଘେନି ରେ

ରତିପତି ପକ୍ଷଘାତେ ହୋଏ ମାନ ରେ

ରାତ୍ର ଦିବସ ଏ ମୋର ସୁଖଦାନୀ ରେ ।୨୭।

ଲଳିତ ଲୋକ ମହିମା ଯେତେ । ଲକ୍ଷିବାକୁ ଦିଶୁନାହିଁ ମୋତେ

ଲୋଭକରି ମୃଗତୃଷ୍ଣା ତଡ଼ିତକୁ ବୋଲିବା କଥାଇ ଅବାକେତେ ରେ

ଲୀଳାବତୀ । ଲାଗିଥାଉ ମୋତେ ଏ ନୟନ ପ୍ରୀତିରେ

ଲୋକନାଥ କରିଥାଉ ଏହିମତି ରେ

ଲାଭ ଏ ବାହାରେ ନାହିଁ କିଛି ଗତି ରେ ।୨୮।

 

ଭାବାର୍ଥ- (୨୪-୨୮) ରେ ସଖୀ, ଯେଉଁ ଲୋକ ଭାବ କ’ଣ ଜାଣେ ନାହିଁ, ତା’ ପାଇଁ ଭଲ ମନ୍ଦ ଏକ ହୋଇଥାଏ । ଭୋକିଲା ଭ୍ରମରଠାରୁ ଏହା ଜଣାଗଲା । ଆଉ ଅଧିକ କହିଲେ କ’ଣ ହେବ ? ରେ ଭାବନିଧି, ଏହି କଥା ମୁଁ ନିରନ୍ତର ଭାବୁଥାଏ । ବିଧାତାର ବୁଦ୍ଧିଭ୍ରମ କାହିଁ ପାଇଁ ହେଲା, ମୁଁ ଜାଣିପାରୁନାହିଁ । ଭଲ କଥା ଅଭଲ ହେଲା । ରେ ମଦାଳସ, ମୋ ବୁଦ୍ଧି ବା କେତେ କହିବି ? ମନ ମଧ୍ୟରେ ଏ ଭାବନା ଆସୁଛି, ଗଙ୍ଗାରେ ଯମୁନା ବହି ମିଳିଛି । ମହାସୁଖ ଭାବ ଜାଗ୍ରତ ହୋଇଛି । ମୋ ସଙ୍ଗରେ ପ୍ରାଣପ୍ରିୟା ଥିଲେ ଯେପରି ଆନନ୍ଦ ଜାତ ହୁଏ, ଜଗତରେ ମଧ୍ୟ ରାମାକୁ ନେଇ ଲୋକେ ଆନନ୍ଦ ହୋଇଥା’ନ୍ତି । ରେ ଜଗମୋହିନ, ମୋ ନେତ୍ରକୁ ତୋ ନେତ୍ର ସେହି ପରି ଆଜି ସୁଖ ଦେଲା । ରେ ଜୀବଧନ, ମୋର ମନ ଏବେ ଯାହା ହେଉଛି, ଯେମିତି ସର୍ବଦା ଏହିପରି ଦର୍ଶନ ହେବ । ତା’ ହେଲେ ଯଦୁବଂଶରେ ସମ୍ଭବିବା ପାଇଁ ମୋର ମନ ହେବ ।

 

ରେ ରମଣୀମଣି, ତୋ ସ୍ମିତବାଣୀ, ରଙ୍ଗିମା ଅଧର, ଦନ୍ତ ଶ୍ରେଣୀ, ଉନ୍ନତ ବକ୍ଷୋଜର ପ୍ରଶଂସାକୁ ଚକ୍ଷୁ ଦେଖିଲା । ରେ ରସିକିନି, ରାତ୍ରଦିବସ ମୋତେ ସୁଖଦାନ କରିଥାଉ । ଲଳିତ ଲୋକ ମହିମା ଯେତେ ତାକୁ ବର୍ଣ୍ଣିବାକୁ ମୋତେ ଭାଷା ପାଉନାହିଁ । ଲୋଭ ବଶତଃ ମୃଗତୃଷ୍ଣାକୁ ଦେଖି ପୋଖରୀ ଭାବିବା ଯାହା ହେବ, ତାହା ହୋଇଛି । ରେ ଲୀଳାବତି, ମୋତେ ଏ ନୟନ ପ୍ରୀତି ଲାଗିଥାଉ । ପ୍ରଭୁ ଲୋକନାଥ ଏହିପରି କରୁଥା’ନ୍ତି ।

 

ବାସୁଦେବ ସ୍ନେହବାଣୀ ଶୁଣି । ବୋଲେ ବ୍ରଜବଧୂ ଶିରୋମଣି

ବେଭାରେ ରସିକ ନାଗର ରଖନ୍ତି ଗୁଣବନ୍ତ ନାରୀ ଭାବ ଆଣି ହେ

ବନମାଳୀ । ବଡ଼କରି ଯେତେ ସ୍ତିରୀ ଫୁଲ ପାଳି ହେ

ବଢ଼ୁଥାଇ ତେତେ ସୁଖଭୋଗେ କେଳି ହେ

ବଳି କହିବା ଅବା ତା କେତେ ଭାଳି ହେ ।୨୯।

ସୁମନା ସୁମନ ସୁମନସ, ସବୁ ରୂପେ କରୁ ଯେବେ ତୋଷ

ସୁଖ ସମ୍ପତ୍ତି ବହୁତ କରି ଭୋଗ କରନ୍ତି ବିବେକ ସୁପୁରୁଷ ହେ

ସୀମନ୍ତିନୀ । ସଙ୍ଗ ଭଙ୍ଗୁ ବଡ଼ ହୋଇନାହିଁ ହାନି ରେ

ସ୍ନେହବଳେ ନ ବଳଇ ପଦ ବେନି ରେ

ସୁଧା ବରଷି ବରନ ସୁଖଘେନି ରେ ।୩୦।

ସରସ ସଦର୍ଭ ଗର୍ବ ଭାବେ ସନ୍ତୋଷ ମେଲାଣି ହୋଇବେ

ଶ୍ରୀହରି ବୋଲନ୍ତି ସେବକ ଦେଇତ ଉଚିତ ନୋହଇ ପ୍ରଭୁଠାବ ରେ

ସୀମନ୍ତିନୀ ! ସଙ୍ଗଭଙ୍ଗ ବଡ଼ହୋଇନାହିଁ ହାନି ରେ

ସତନବଳେ, ନଚଳେ ପାଦବେନି ରେ

ସୁଧା ବରଷି ବର୍ଣ୍ଣନ ସୁଖ ଘେନି ରେ ।୩୧।

 

ଶ୍ୟାମ ଶ୍ୟାମା ଏକଠାବେ ଦେଖି । ସଖୀ ଡାକିଲାରେ ପ୍ରାଣ ସଖୀ

ଶ୍ୟାମ ମେଘରେ ତ ଅପୂର୍ବ ଅଙ୍କିତ ବିଜୁଳି ପରାୟେ ଅଛି ଲାଖି ରେ

ସାରସାକ୍ଷୀ । ଶ୍ୟାମସୁନ୍ଦର ମନ୍ଦର ଧର ପାଖରେ ।

ସାଦରରେ ଶରୀରରେ ଅଛି ଲାଖି ରେ

ସଦ୍ୟେ ସୁଫଳ କରିବା ଦେଖି ରେ ।୩୨।

ହରିବୋଲନ୍ତି ଗୋ ଗୋପାଙ୍ଗନା । ହେଲୁ ତୁ ପବନ ପ୍ରାୟେ ସିନା

ହତ କଲୁ ଘନ ହତ ବରଷା ବା କେଉଁ କାରଣରୁ ବକ୍ରମନା ରେ

ହାରାବଳୀ । ହାତୁଁ ନେଲୁ ମୋ ଅମୃତ ରସାବଳୀ ରେ

ହୃଦେ ଏହି କଥା ନିକି ଥିଲୁ କଳି ରେ

ହରବଇରୀ ଶରେ ତୁ ହୁଅ ବଳି ରେ ।୩୩।

କ୍ଷଇର ଗୋପୀ ହରଷେ ଗଲେ । କ୍ଷମେ ଗୋପରେ ପ୍ରବେଶ ହେଲେ

କ୍ଷଣଦା କାଳେ ଛଛନ୍ଦେ କୁତୂହଳେ କନ୍ଦର୍ପ ଦର୍ପକୁ ନାଶ କଲେ ସେ

କ୍ଷମାନିଧି । ଛନ୍ଦି ଗୋପୀ ଅଙ୍ଗେ ଆଭରଣ ବିଧି ସେ

କ୍ଷିତି ମଣ୍ଡନୀ ମୋହିନୀ ମନବୋଧି ସେ

କ୍ଷମେ ଦୀନକୃଷ୍ଣ କାମ କଲେ ସିଦ୍ଧି ସେ ।୩୪।

 

ଭାବାର୍ଥ- (୨୯-୩୪) ବାସୁଦେବଙ୍କ ସ୍ନେହବାଣୀ ଶୁଣି, ବ୍ରଜବଧୂ ଶିରୋମଣି ରାଧା କହିଲେ- ବେଭାରରେ ରସିକ ନାଗରମାନେ ଭାବରେ ଗୁଣବନ୍ତ ନାରୀଙ୍କୁ ରଖିଥା’ନ୍ତି । ହେ ବନମାଳି, ଯେତେ ସ୍ତ୍ରୀ ପ୍ରତି ଅନୁରାଗ ରଖିବ, ସେତେ ସ୍ତ୍ରୀ କେଳିପ୍ରତି ମନ ବଳିବ । ଏ କଥାକୁ ଅବା ମୁଁ କେତେ ଭାବି କହିବି ? ନାରୀମାନଙ୍କର ଉତ୍ତମ ମନକୁ ସବୁରୂପରେ ଯେବେ ତୋଷ କରିବ, ସୁଖ ସଂପତ୍ତି ଭୋଗ କରିବ । ବିବେକୀ ସୁପୁରୁଷମାନେ ଏହିଭଳି ଭୋଗ କରନ୍ତି । ରେ ସୀମନ୍ତିନି, ସ୍ନେହ, ସୁଖରେ ଆନନ୍ଦ ମିଳେ ।

 

ରେ ସୀମନ୍ତିନି, ସରସ ଗର୍ବ ଭାବେ ଓ ସନ୍ତୋଷରେ ମେଲାଣିହୋଇ ଯିବେ । ଶ୍ରୀକୃଷ୍ଣ କହିଲେ- ମୋତେ ସେବକ ଦେଇ ପ୍ରଭୁ ଠାବ କରିବାରେ ଉଚିତ ନୁହେଁ । ସଙ୍ଗ ଭଙ୍ଗ କେବେ ହେଲେ ହାନିରେ ବଡ଼ ହୋଇ ନାହିଁ । ଉତ୍ସାହଜନିତ ବଳ ଯୋଗୁଁ ଦୁଇପାଦ ଚଳୁନାହିଁ । ଅମୃତ ବର୍ଷା କରି ସୁଖର ସନ୍ଧାନ କରିବା ।

 

ରାଧାକୃଷ୍ଣଙ୍କ ଏକାଠି ଦେଖି ସଖୀ ଜଣେ ଡାକିଲା- ରେ ପ୍ରାଣସହି, ଶ୍ୟାମରୂପକ ମେଘରେ ତୁ ବିଜୁଳି ପ୍ରାୟ ଲାଖି ଯାଇଛୁ । ରେ ସାରସାକ୍ଷି, ଶ୍ୟାମସୁନ୍ଦର ମନ୍ଦରଧରଙ୍କ ପାଖରେ ତୋ ଶରୀର ଲାଗି ଶୋଭା ପାଉଛି । ଏହାକୁ ଦେଖି ଚକ୍ଷୁ ସଫଳ ହେଲା ।

 

ଶ୍ରୀକୃଷ୍ଣଙ୍କ କହିଲେ- ରେ ଗୋପଙ୍ଗନା, ତୁ ପବନ ପ୍ରାୟ ହେଲୁ ସିନା, ମେଘକୁ ଦୂରେଇ ଦେଲୁ । ରେ ହାରାବଳି, ମୋ ହାତରୁ ଅମୃତ ରସାବଳୀ ଛଡ଼ାଇ ନେଲୁ । କନ୍ଦର୍ପ ଶରରେ ତୁ ଦଳି ହେବୁ, ହୃଦୟ ମଧ୍ୟରେ ଏ କଥା କେବେ ଭାବିଥିଲୁ ? ଗୋପୀମାନେ ଏହା ଶୁଣି ହରଷ ମନରେ ଫେରି ଗୋପପୁରରେ ପ୍ରବେଶ ହେଲେ ରାତ୍ରିକାଳରେ ସେମାନେ କୌତୁକରେ କନ୍ଦର୍ପର ଦର୍ପକୁ ନାଶ କଲେ । କୃଷ୍ଣ ଗୋପୀଙ୍କ ଅଙ୍ଗରେ ଆଭରଣ ଛନ୍ଦି ମୋହିନୀରେ ମନ ବୋଧ କଲେ ।

Image